Luke 17

ବିଘ୍ନଜନକ ପାପ ଓ କ୍ଷମା ପ୍ରଦାନ

(ମାଥି. 18:6,7,21,22; ମାର୍କ 9:42)

1ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ, କିନ୍ତୁ ଯାହା ଦ୍ୱାରା ତାହା ଘଟିବ, ହାୟ, ସେ ଦଣ୍ଡର ପାତ୍ର; 2ଏହି ସାନ ପିଲାମାନଙ୍କ ମଧ୍ୟରୁ ଜଣକର ବାଧାର କାରଣ ହେବା ଅପେକ୍ଷା ବରଂ ତାହା ବେକରେ ଗୋଟିଏ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ପକାଇ ଦିଆଯାଇଥିଲେ ତାହା ପାଇଁ ଭଲ ହୋଇଥାନ୍ତା ।

3ତୁମ୍ଭେମାନେ ନିଜ ନିଜ ବିଷୟରେ ସାବଧାନ ହୋଇଥାଅ । ଯଦି ତୁମ୍ଭ ଭାଇ ପାପ କରେ, ତେବେ ତାହାକୁ ଅନୁଯୋଗ କର; ଆଉ ସେ ଯଦି ମନ ପରିବର୍ତ୍ତନ କରେ, ତେବେ ତାହାକୁ କ୍ଷମା ଦିଅ । 4ପୁଣି, ଯଦି ସେ ଦିନ ଭିତରେ ସାତ ଥର ତୁମ୍ଭ ବିରୁଦ୍ଧରେ ପାପ କରେ ଓ ସାତ ଥର ତୁମ୍ଭ ନିକଟକୁ ଫେରିଆସି ମୁଁ ମନ ପରିବର୍ତ୍ତନ କରୁଅଛି ବୋଲି କହେ, ତେବେ ତାହାକୁ କ୍ଷମା କର ।

ବିଶ୍ୱାସର ବୃଦ୍ଧି

5ସେଥିରେ ପ୍ରେରିତମାନେ ପ୍ରଭୁଙ୍କୁ କହିଲେ, ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ । 6ପ୍ରଭୁ କହିଲେ, ଯଦି ଗୋଟିଏ ସୋରିଷ ଦାନା ପରି ତୁମ୍ଭମାନଙ୍କର ବିଶ୍ୱାସ ଥାଏ, ତାହାହେଲେ ଏହି ତୁତକୋଳିଗଛକୁ ତୁ ସମୂଳେ ଉପୁଡ଼ାଯାଇ ସମୁଦ୍ରରେ ରୋପିତ ହୁଅ ବୋଲି କହିଲେ, ତାହା ତୁମ୍ଭମାନଙ୍କର ଆଜ୍ଞା ମାନିବ ।

ଦାସର କର୍ତ୍ତବ୍ୟ

7କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଏପରିଲୋକ କିଏ ଅଛି, ଯାହାର ଦାସ ହଳ ବୁଲାଇ କିମ୍ବା ପଶୁ ଚରାଇ କ୍ଷେତରୁ ଆସିଲେ ସେ ତାହାକୁ କହିବ, ଏହିକ୍ଷଣି ଆସି ଖାଇ ବସ ? 8ସେ କ’ଣ ବରଂ ତାହାକୁ କହିବ ନାହିଁ, ମୋର ଖାଇବାର ଠିକ୍ କର, ପୁଣି, ମୁଁ ଖିଆପିଆ ଶେଷ ନ କରିବା ପର୍ଯ୍ୟନ୍ତ ଅଣ୍ଟା ବାନ୍ଧି ମୋର ସେବା କର, ତାହା ପରେ ତୁ ଖିଆପିଆ କରିବୁ ?

9ଦାସ ଆଦେଶ ଅନୁସାରେ କାମ କରିବାରୁ ସେ କ’ଣ ତାହାକୁ ଧନ୍ୟବାଦ ଦିଏ ? 10ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆଦେଶ ଅନୁସାରେ ସବୁ କାମ କଲା ପରେ କୁହ, ଆମ୍ଭେମାନେ ଅକର୍ମଣ୍ୟ ଦାସ, ଯାହା କର୍ତ୍ତବ୍ୟ, କେବଳ ତାହା କରିଅଛୁ ।

ଦଶ କୁଷ୍ଠୀଙ୍କୁ ଯୀଶୁଙ୍କ ସୁସ୍ଥତା

11ସେ ଯିରୂଶାଲକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ । 12ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ୍ କଲେ; 13ସେମାନେ ଦୂରରେ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ହେ ଗୁରୁ, ଆମ୍ଭମାନଙ୍କୁ ଦୟା କରନ୍ତୁ ।

14ପୁଣି, ସେ ସେମାନଙ୍କୁ ଦେଖି କହିଲେ, ତୁମ୍ଭେମାନେ ଯାଇ ନିଜ ନିଜକୁ ଯାଜକମାନଙ୍କୁ ଦେଖାଅ । ଆଉ ସେମାନେ ଯାଉ ଯାଉ ଶୁଚି ହେଲେ । 15କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହୋଇଥିବା ଦେଖି ଉଚ୍ଚସ୍ୱରରେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ଫେରିଆସି, 16ଯୀଶୁଙ୍କ ଚରଣ ତଳେ ଉବୁଡ଼ ହୋଇ ତାହାଙ୍କର ଧନ୍ୟବାଦ କରିବାକୁ ଲାଗିଲା; ସେ ଜଣେ ଶମିରୋଣୀୟ ଲୋକ ।

17ସେଥିରେ ଯୀଶୁ ଉତ୍ତର ଦେଲେ, ଦଶ ଜଣ କ’ଣ ଶୁଚି ହେଲେ ନାହିଁ ? 18ତେବେ ଆଉ ନଅ ଜଣ କାହାନ୍ତି ? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୂଦୀ ଲୋକଟି ଛଡ଼ା କ’ଣ ଆଉ କେହି ଫେରିଆସି ନାହିଁ ? 19ପୁଣି, ସେ ତାହାକୁ କହିଲେ, ଉଠି ଯାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି ।

ଈଶ୍ୱରଙ୍କ ରାଜ୍ୟର ଆଗମନ

(ମାଥି. 24:23-28; 37-41)

20ଈଶ୍ୱରଙ୍କ ରାଜ୍ୟ କେବେ ଆସୁଅଛି, ଏ ବିଷୟରେ ଫାରୂଶୀମାନେ ତାହାଙ୍କୁ ପଚାରିବାରୁ ସେ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ ରାଜ୍ୟ ଦୃଶ୍ୟଭାବରେ ଆସେ ନାହିଁ; 21କିମ୍ବା ଦେଖ, ଏଠାରେ ବା ସେଠାରେ ବୋଲି ଲୋକ କହିବେ ନାହିଁ; କାରଣ ଦେଖ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ମଧ୍ୟରେ ଅଛି ।

22କିନ୍ତୁ ସେ ଶିଷ୍ୟମାନଙ୍କୁ କହିଲେ, ଏପରି ସମୟ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କର ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖିବ ନାହିଁ । 23ଦେଖ, ଏଠାରେ ବା ସେଠାରେ ଲୋକେ ତୁମ୍ଭମାନଙ୍କୁ କହିବେ; କିନ୍ତୁ ତୁମ୍ଭେମାନେ ଯାଅ ନାହିଁ କିମ୍ବା ସେମାନଙ୍କର ଅନୁସରଣ କର ନାହିଁ । 24କାରଣ ବିଜୁଳି ମାରି ଯେପରି ଆକାଶରୁ ଗୋଟିଏ ପାଖରୁ ଆରପାଖ ପର୍ଯ୍ୟନ୍ତ ଆଲୁଅ ଦିଏ, ମନୁଷ୍ୟପୁତ୍ର (ଯୀଶୁ) ଆପଣା ଦିନରେ ସେହିପରି ହେବେ ।

25ଅବଶ୍ୟ ଅନେକ ଦୁଃଖଭୋଗ କରିବାକୁ ହେବ ଓ ଏହି ବର୍ତ୍ତମାନ ପୁରୁଷ ଦ୍ୱାରା ଅଗ୍ରାହ୍ୟ ହେବାକୁ ହେବ । 26ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ; 27ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳ ପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା ।

28ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ, 29କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା ।

30ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ । 31ସେହିଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ ।

32ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ । 33ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ ।

34ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । 35ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । 36[ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ ।] ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ ? ସେ ସେମାନଙ୍କୁ କହିଲେ, ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ ।

37

Copyright information for OriULB